ବନ୍ଦ କରନ୍ତୁ

ପର୍ବପର୍ବାଣୀ

କେନ୍ଦ୍ରାପଡ଼ାର ପର୍ବପର୍ବାଣୀ

ଅକ୍ଷୟ ତୃତୀୟା:-

ଓଡିଶା ମାନଚିତ୍ରରେ ଏକ କୃଷିଭିତ୍ତିକ ଜିଲ୍ଲାଭାବରେ ସ୍ଵତନ୍ତ୍ରସ୍ଥାନ ଅଧିକାର କରିଥିବା ‘କେନ୍ଦ୍ରାପଡ଼ା’ ଜିଲ୍ଲା ବାସୀଙ୍କରପବିତ୍ର ‘ଅକ୍ଷୟ ତୃତୀୟା’ ଏକ ପାରମ୍ପାରିକ ପର୍ବ ଭାବରେ ଗଣ୍ୟ ହୋଇଥାଏ । ଜିଲ୍ଲାର ପ୍ରାୟ ୭୮.୮% ଲୋକ କୃଷି ଉପରେ ନିର୍ଭରଶୀଳ । ଏଣୁ ଅକ୍ଷୟତୃତୀୟା ଦିନ ପ୍ରତ୍ୟୂଷରୁ ପ୍ରତି ଗୃହରେ ମିଳିତଭାବେ ଅକ୍ଷୟ ତୃତୀୟା ପର୍ବ ପାଳନ ଅବସରରେ ଅୟମୁଠି (ଅକ୍ଷୀମୁଠି) ଧରି ବିଲକୁ ଯାଇଥାଏ ଏବଂ ପ୍ରତିଗୃହରେ ପିଠାପଣା ଆଦି ପ୍ରସ୍ତୁତ ହୋଇଥାଏ।ଦ୍ଵିତୀୟରେ ଶ୍ରୀ ବଳଦେବ ଜୀଉ ହେଉଛନ୍ତି କୃଷିର ପ୍ରତୀକ ଦେବତା । ଏହିଦିନ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ପର୍ବ ଆରମ୍ଭ ହୋଇଥାଏ।

ଚନ୍ଦନ ଯାତ୍ରା :-

କେନ୍ଦ୍ରାପଡ଼ାର ଆରାଧ୍ୟଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ୨୧ ଦିନ ବ୍ୟାପି ଚନ୍ଦନ ଯାତ୍ରା ପର୍ବ ପାଳିତ ହୋଇଥାଏ । ମହାପ୍ରଭୁଙ୍କ ବିଜେପ୍ରତିମା ଶ୍ରୀ ଗୋବିନ୍ଦଜୀଉ ବିଭାନରେ ବସି ଚନ୍ଦନ ପୁଷ୍କରିଣୀକୁ ଚାପ ବା ଚନ୍ଦନ ଖେଳିବାକୁ ଯାଆନ୍ତି। ନିଦାଘ ର ଉତ୍ତପ୍ତ ଦାଉରୁ ରକ୍ଷା ପାଇବା ପାଇଁ ମୁଖ୍ୟତଃ ଚନ୍ଦନ ଯାତ୍ରା ହୋଇଥାଏ। ଶ୍ରୀ ବଳଦେବ ଜୀଉ ଙ୍କ ମନ୍ଦିର ଛଡା ଶ୍ରୀ ଶ୍ରୀ ରାଧାଗୋବିନ୍ଦଜୀଉଙ୍କ ମନ୍ଦିର, ଆଳି ବରାହ ଜୀଉ ମନ୍ଦିର, ଦେମାଳର ଶ୍ରୀ ଦଧିବାମନ ଜୀଉ ମନ୍ଦିର, ରିଘାଗଡ ର ଶ୍ରୀ ବଳଦେବ ମନ୍ଦିର, ଶ୍ରୀ ଶ୍ରୀ ମଦନମୋହନ ଜୀଉ, ନିକିରାଇ ମଠ ଓ ଅସୁରେଶ୍ଵର ର ଦଧିବାମନଜୀଉ ମନ୍ଦିର ଆଦିରେ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଦେବସ୍ନାନ ପୁର୍ଣିମା :-

ଜ୍ୟେଷ୍ଠ ପୁର୍ଣିମା କୁ ଦେବସ୍ନାନ ପୁର୍ଣିମା ବୋଲି କୁହାଯାଏ। ଏହି ଦିନ କେନ୍ଦ୍ରପାଡ଼ା ରେ ଶ୍ରୀ ବଳଦେବ ଜୀଉ ମନ୍ଦିର, ରିଘାଗଡର ଶ୍ରୀବଳଦେବ ମନ୍ଦିର, ଗରଦପୁର ର ଶ୍ରୀ ବଳଦେବ ମନ୍ଦିର, କେରଡାଗଡ ର ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ମଠ ବାଡି ରେ ଏହି ପର୍ବ ପାଳିତ ହୋଇଥାଏ । ପ୍ରତି ମନ୍ଦିର ରୁ ଶ୍ରୀ ବିଗ୍ରହ ମାନେ ପହଣ୍ଡି ବିଜେ ହୋଇ ସ୍ନାନ ମଣ୍ଡପ ରେ ଦିବସ ସାରା ରହି ସ୍ନାନଯାତ୍ରା ପର୍ବ ପାଳନ କରିଥାନ୍ତି। ଶ୍ରୀ ବଳଦେବଜୀଉ ମହାପ୍ରଭୁ ୧୦୮ ଗରାରେ ଥିବା ପବିତ୍ର ଜଳରେ ସ୍ନାନ କରିଥାନ୍ତି। ରାତ୍ରରେ ପହଣ୍ଡିବିଜେ ହୋଇ ଅଣସର ଘରକୁ ଯାତ୍ରା କରନ୍ତି।

ଝୁଲଣ ଯାତ୍ରା :-

ଭାଦ୍ରବ ମାସ ରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। କେନ୍ଦ୍ରପାଡ଼ା ଜିଲ୍ଲାରେ ଥିବା ପ୍ରାୟ ସମସ୍ତ ମନ୍ଦିର ରେ ଏହି ଝୁଲଣ ଯାତ୍ରା ପର୍ବ ପାଳିତ ହୋଇଥାଏ । ଶ୍ରୀ ବଳଦେବଜୀଉ ମନ୍ଦିର କୁ ବାଦ ଦେଲେ ମୁଖ୍ୟତଃ ଆଳି ରାଜା ଙ୍କ ଦ୍ୱାରାଶ୍ରୀ ଗୋପାଳଜୀଉଙ୍କ ମନ୍ଦିର ରେ ପାଳିତ ଝୁଲଣଯାତ୍ରା, ସମସ୍ତ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଅଛି। ଏହି ଯାତ୍ରା ଆଳି ରାଜା ନୀଳକଣ୍ଠଦେବଙ୍କ ସମୟରୁ ପ୍ରାୟ ୧୬୬୦ ଖ୍ରୀ.ଅ ରୁ ଆଳି ରେ ପାଳିତ ହୋଇଆସୁଅଛି। ଶ୍ରୀ ବଳଦେବଜୀଉ ମନ୍ଦିରରେ ୬ ଦିନ ଧରି ଓ ଆଳି ରେ ଦଶଦିନ ଧରି ଏହି ପର୍ବ ପାଳିତ ହୋଇଥାଏ। ସେଥିପାଇଁ କୁହାଯାଇଅଛି,
ଆଳି ଝୁଲଣ ଓଳକଣା ମେଳଣ
କେନ୍ଦ୍ରାପଡ଼ା ରାମନବମୀ
ପୁରୀ ର ଚନ୍ଦନ

ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା :-

ଆଷାଢ ଶୁକ୍ଲ ଦ୍ଵିତୀୟା ତିଥିରେ ପାଳିତ ରଥଯାତ୍ରା ବ ଶ୍ରୀଗୁଣ୍ଡିଚା ପର୍ବ ଓଡିଶା ଜନମାନସଙ୍କର ଗଣପର୍ବ ଭାବରେ ଖ୍ୟାତ । ପୃଥିବୀ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥଯାତ୍ରା କୁ ଆଧାର କରି କେନ୍ଦ୍ରପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପର୍ବ ପାଳିତ ହୋଇଥାଏ। ୯ ଦିନ ବ୍ୟାପୀ ଅନୁଷ୍ଠିତ ରଥଯାତ୍ରା ପର୍ବ କେନ୍ଦ୍ରପାଡ଼ା ଜନମାନସକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକ ଭାତୃଭାବପନ୍ନ ରଜ୍ଜୁ ରେ କେଉଁ ଏକ ଅଜ୍ଞାନ୍ତ କାଳ ରୁ ବାନ୍ଧିରଖି ଅଛି। ଶ୍ରୀକ୍ଷେତ୍ର ରେ ତିନି ରଥ ବେଳେ ତୁଲସୀ କ୍ଷେତ୍ରରେ ଗୋଟିଏ ରଥ ରେ ମହାପ୍ରଭୁ ଶ୍ରୀବଳଦେବଜୀଉ, ଭଗ୍ନୀ ସୁଭଦ୍ରା ଓ ଅନୁଜ ଶ୍ରୀଜଗନ୍ନାଥ ମିଳିତ ଭାବରେ ଗୁଣ୍ଡିଚା ଘରକୁ ଘୋଷଯାତ୍ରା କରିଥା’ନ୍ତି। ପୃଥିବୀ ର ସର୍ବୋଚ୍ଚ ସର୍ବବୃହତ ଏହି ରଥନାମ ବ୍ରହ୍ମତାଳଧ୍ଵଜ ରଥ, ଏହାର ଉଚ୍ଚତା ୬୫ ଫୁଟ ଓ ଏହା ୧୧୨୩ ଖଣ୍ଡ କାଠ ରେ ନିର୍ମିତ ହୋଇଥାଏ।

ଗଜଲକ୍ଷ୍ମୀ :-

ରଥଯାତ୍ରା ପରେ କେନ୍ଦ୍ରପାଡ଼ା ଲୋକଙ୍କର ଦ୍ଵିତୀୟ ଗଣପର୍ବ ହେଉଛି ଗଜଲକ୍ଷ୍ମୀ ପୂଜା। ୧୯୨୨-୨୩ ମସିହା ରେ ସର୍ବପ୍ରଥମେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ବଡବାବାଜି ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ କେନ୍ଦ୍ରପଡ଼ା ଆଗମନ କାଳରେ ଏହି ପର୍ବ ସର୍ବପ୍ରଥମେ ବଡକୋଠା ସମ୍ମୁଖରେ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ଅବସର ରେ ପୂଜା ପାଇଥିଲେ।
ଗଜଲକ୍ଷ୍ମୀ ଙ୍କ ମୁଣ୍ମୟୀ ପ୍ରତିମା ବଡହାଟ ରେ ବସବାସ କରୁଥିବା ଧନେଶ୍ଵର ମହାରଣା ଙ୍କ ଜେଜେବାପା ଏହି ମୂର୍ତି ର ନିର୍ମାଣକର୍ତ୍ତା ଥିଲେ ବୋଲି ଜଣାଯାଏ। ଏହାର ୪/୫ ବର୍ଷ ପରେ କିଛି କେନ୍ଦ୍ରାପଡ଼ା ସହରବାସୀ ବଳଦଗାଡିରେ ଧରି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସାନମଙ୍ଗଳା ଗ୍ରାମକୁ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଯାଇଥିଲେ ଓ ଫେରନ୍ତା ପଥରେ ଏମାନେ ମିଳିତଭାବରେ କେନ୍ଦ୍ରାପଡା ରେ ଗଜଲକ୍ଷ୍ମୀ ମୂର୍ତ୍ତି ନିର୍ମାଣ କରିବାର ବ୍ୟବସ୍ଥା କରିଥିଲେ। ଫଳତଃ ୧୯୨୮ ମସିହା ସର୍ବପ୍ରଥମେ ସାଂପ୍ରତିକ କେନ୍ଦ୍ରପଡ଼ା ସହରସ୍ଥିତ ପୁରୁଣା ବସଷ୍ଟାଣ୍ଡ ରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ୯-୧୦ ଦିନ ଧରି ଗଜଲକ୍ଷ୍ମୀ ପୂଜା କେନ୍ଦ୍ରପଡ଼ା ଜନମାନସଙ୍କର ଗଣପର୍ବ ହୋଇଅଛି। ସେ ବେଳ ର ସହର ର ଲୋକସଂଖ୍ୟା ଥିଲେ ୧୮୦୦ ରୁ ଉର୍ଦ୍ଧ , ଆଜି ସହର ର ଲୋକସଂଖ୍ୟା ଅଧ ଲକ୍ଷ ରୁ ଉର୍ଦ୍ଧ, ତେଣୁ ସହର ର ପ୍ରାୟ ଅତିକମ ରେ ୮୦ ରୁ ଉର୍ଦ୍ଧ ଗଜଲକ୍ଷ୍ମୀ ମେଢ ମାନ ନିର୍ମିତ ହୋଇଥାଏ। କୁମାରପୁର୍ଣିମା ଠାରୁ ଗଜଲକ୍ଷ୍ମୀ ଆରମ୍ଭ ହୋଇ ପ୍ରାୟ ୭ଦିନ ଧରି ଏହି ପର୍ବ ପାଳିତ ହୋଇଥାଏ। ଲକ୍ଷାଧିକ ଲୋକ ଏହି ଯାତ୍ରା ରେ ଦିନସାରା ସାମିଲ ହୋଇଥାନ୍ତି। ଉଦଯାପନ ଦିବସ ଅନ୍ତରାଳ ରେ ମହାସମାରୋହରେ ଭସାଣି ଉତ୍ସବ ପାଳିତ ହୋଇଥାଏ ।

ଦୋଳ ଯାତ୍ରା :-

ଗୌଡୀୟ ବୈଷ୍ଣବଧର୍ମରେ ପ୍ରଚାର ପ୍ରସାର ପରେ ଅର୍ଥାତ୍ ଶ୍ରୀ ଚୈତନ୍ୟଦେବଙ୍କ ଅପ୍ରକଟ ପରେ ଦୋଳ ଯାତ୍ରା କୁ ଧାରାବାହିକ ଭାବେ ରାଧାକୃଷ୍ଣ ଙ୍କ ମୂର୍ତ୍ତି ଆସିଲା ପରେ ଏହା ଗଣପର୍ବ ରେ ପରିଚିତ ହୋଇଥିଲା। ଅବଶ୍ୟ ୧୨୨୨ ମସିହା ରେ ଦୋଳଯାତ୍ରା ପାଇଁ ମହାରାଜା ଅନଙ୍ଗଭୀମଦେବ ଶ୍ରୀମନ୍ଦିର କୁ ୧୦୦ ମାଢ ସୁନା ଦାନ କରିଥିବା ର ପ୍ରମାଣ ମାଦଳା ପାଞ୍ଜିରୁ ମିଳିଥାଏ।
ଦୋଳପୁର୍ଣିମା ରେ ସମଗ୍ର ଦେଶରେ ରଙ୍ଗର ହୋଲିପର୍ବ ପାଳିତ ହେଲା ସମୟରେ କେନ୍ଦ୍ରପଡ଼ା ଜିଲ୍ଲା ରେ ଏହି ପର୍ବ ପୁର୍ଣିମା ର ୫ ଦିନ ପରେ ପାଳିତ ହୁଏ, ଯାହାକୁ ପଞ୍ଚୁଦୋଳ ବୋଲି କୁହାଯାଏ। ମୁଖ୍ୟତଃ ଏହି ପର୍ବ ବଳଦେବଜୀଉ ଙ୍କ ମନ୍ଦିର ସମ୍ମୁଖ ରେ ପାଳିତ ହେଉଥିବାରୁ ଏହାକୁ “ଛାମୁମେଲଣ ” ବା “ଛାମୁଦୋଳ ମେଲଣ” ବୋଲି କୁହାଯାଏ। ଏହି ମେଲଣ ର ଥାନପତି ଶ୍ରୀଶ୍ରୀ ରଘୁନାଥଜୀଉ ଓ ମେଲଣ ସ୍ରଷ୍ଟା ଶ୍ରୀଶ୍ରୀ ଲଚମନଜୀଉ କିନ୍ତୁ ପଞ୍ଚୁଦୋଳ ମେଲଣକୁ ବାଦଦେଲା ପରେ କେନ୍ଦ୍ରପଡା ରେ ଯେଉଁ ପ୍ରସିଦ୍ଧ ଦୋଳ ମେଲଣ ଅନୁଷ୍ଠିତ ହୁଏ ତାହାକୁ “ଓଳକଣା ମେଲଣ” ବୋଲି କୁହାଯାଏ।

ଓଳକଣା ମେଲଣ :-

ପ୍ରାଚୀନ ଆଳି ରାଜ୍ୟ ର ଶେଷ ସୀମା ରେ ଅଜ୍ଞାତ ଡେରାବିଶ ବ୍ଲକ ର ଅନ୍ତିମ ଭାଗ ରେ ଅବସ୍ଥିତ ଓଳକଣା ଗ୍ରାମ ରେ ଏହି ମେଳଣ ଅନୁଷ୍ଠିତ ହୁଏ । ଏହି ମେଳଣ ପଡିଆ ର ପ୍ରାୟ ୮୫% ଭାଗ କେନ୍ଦ୍ରପଡା ଜିଲ୍ଲା ରେ ଅବସ୍ଥିତ ଓ ୧୫% ଅଞ୍ଚଳ ମହଙ୍ଗା ଥାନା ରେ ଅବସ୍ଥିତ। ଏହି ଓଳକଣା ମେଲଣ ର ଶ୍ରଷ୍ଠା ଥିଲେ ଆଳି ନରେଶ ନୀଳକଣ୍ଠ ଦେବ ଓ ଆଳି ରାଜ୍ୟ ର ମହାପ୍ରତାପୀ ରାଜା ବ୍ରଜସୁନ୍ଦର ଦେବ ଙ୍କ ରାଜତ୍ଵ କାଳ ରେ ଏହି ମେଳଣ ପ୍ରସିଦ୍ଧି ଲାଭ କରିଥିଲା। ପ୍ରାୟ ୧୫୦ ରୁ ଉର୍ଦ୍ଧ ବିମାନ ରେ ବିଭିନ୍ନ ମଠ, ମନ୍ଦିର ରୁ ରାଧାକୃଷ୍ଣ ବିଗ୍ରହମାନେ ଆସି ଏହି ମେଲଣ ପଡିଆରେ ଉପସ୍ଥିତ ହେଉଥିଲେ ସୁଦ୍ଧା ଏହି ମେଲଣର ମୁଖ୍ୟ ଆକର୍ଷଣ ହେଉଛନ୍ତି ମାହାଙ୍ଗାର ଭଦ୍ରେଶ୍ଵର ମହାଦେବ। ମହାପ୍ରଭୁଙ୍କ ବିମାନରେ ଚଳନ୍ତି ପ୍ରତିମା ଭାବେ ଏକ ନାଗ ସାପ ମୂର୍ତ୍ତି ଓ ଧଣ୍ଡା ମାଳ ଆସିଥାଏ। ଏହି ବିମାନ ଆଗରେ ୧୦୮ ଘଣ୍ଟୁଆ ଘଣ୍ଟ ନିବାଦ କରୁଥାନ୍ତି। ଓଳକଣା ମେଲଣର ମୁଖ୍ୟ ନେତୋ କହିଲେ ଡେରାବିଶରେ ଥିବା ଆଳି ରାଜାଙ୍କର ଠାକୁର। ସେ ପ୍ରଥମେ ମେଲଣ ପଡିଆକୁ ପ୍ରବେଶ କଲାପରେ ଅନ୍ୟ ବିମାନ ପଡିଆକୁ ପ୍ରବେଶ କରନ୍ତି। ଏହି ମେଲଣ ୩ ଦିନ ଧରି ଅନୁଷ୍ଠିତ ହୁଏ।