ଜିଲ୍ଲା ସମ୍ବନ୍ଧରେ
୧୯୯୩ ମସିହା ଏପ୍ରିଲ ପହିଲାରେ ଅବିଭକ୍ତ କଟକ ଜିଲ୍ଲାରୁ ପୃଥକ ହୋଇ କେନ୍ଦ୍ରାପଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଏ । ଓଡିଶାର ପୂର୍ବ ଉପକୂଳରେ ଅବସ୍ଥିତ ଏହି ଜିଲ୍ଲା ଶିକ୍ଷା , ଶାସନ ଓ ସଂସ୍କୃତି ଦୃଷ୍ଟିରୁ ବେଶ ଏକ ସମୃଦ୍ଧଶାଳୀ ପରିଚୟ ବହନ କରେ।ସିଦ୍ଧ ଶ୍ରୀ ବଳଦେବପୀଠ ତୁଳସୀକ୍ଷେତ୍ର ରୂପେ କେନ୍ଦ୍ରାପଡ଼ା ସୁବିଦିତ ।କଟକ ଠାରୁ ୫୫ କି ମି ଦୂରରେ ଅବସ୍ଥିତ କେନ୍ଦ୍ରାପଡ଼ା ନଦନଦୀ ପରିପୂର୍ଣ। ଲୁଣା , କରାଣ୍ଡିଆ, ଗୋବରୀ, ବ୍ରାହ୍ମଣୀ, ବିରୂପା, ଖରସ୍ରୋତା, ପାଇକା ଆଦି ନଦୀ କେନ୍ଦ୍ରାପଡ଼ା କୁ କରିଛି ଶସ୍ୟ ଶ୍ୟାମଳା।କୃଷି ଭିତ୍ତିକ କେନ୍ଦ୍ରାପଡ଼ା ଜିଲ୍ଲା ର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ। ପର୍ଯ୍ୟଟନ ଦୃଷ୍ଟିରୁ ସବୁ ଅଞ୍ଚଳର ଯେପରି ପୃଥକ ବିଶିଷ୍ଟତା ଓ ଆକର୍ଷଣ ରହିଥାଏ ସେହିପରି ଏକ ସ୍ଵକୀୟ ସୁଖ୍ୟାତି ମଧ୍ୟ ଏହି ଜିଲ୍ଲାରେ ରହିଛି । ପାରମ୍ପରିକ ପୁରାତନ ମଠ ମନ୍ଦିରସ୍ଥଳୀ ଠାରୁ ଆରମ୍ଭକରି ଅନାଲୋଚିତ ବୌଦ୍ଧ କୀର୍ତିରାଜି ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ । ଏହାଛଡା ବିଭିନ୍ନ ସମୟ ଓ ଅବସରରେ ପାଳନ କରାଯାଉଥିବା ଯାନିଯାତ୍ରା ଓ ପୂଜା ମେଳଣ ପ୍ରଭୃତି ବହିରାଗତଙ୍କୁ ଏହି ଜିଲ୍ଲା ପ୍ରତି ଆକ୍ରୁଷ୍ଟ କରାଇଥାଏ। ସମ୍ପ୍ରତି ପର୍ଯ୍ୟଟନ କ୍ଷେତ୍ରରେ ଦେଖାଦେଇଥିବା ନୂଆ ଧାରାରେ ପାରମ୍ପରିକ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରକୁ ପଛରେ ପକାଇ ପ୍ରକୃତିକ ପର୍ଯ୍ୟଟନ ଏହି ଦୌଡରେ ସବା ଆଗରେ ରହିଛି ।ପ୍ରକୃତିର ହାତଖୋଲା ଦାନସ୍ୱରୂପ କେନ୍ଦ୍ରାପଡ଼ା ଜିଲ୍ଲା ଉଭୟ ପ୍ରାକୃତିକ ଓ ସାମୁଦ୍ରିକ ପର୍ଯ୍ୟଟନ ନିମନ୍ତେ ଏକ ପ୍ରସସ୍ତ କ୍ଷେତ୍ର । ଏଠାରେ ଏସିଆର ଦିତୀୟ ବୃହତ୍ତମ ଲୁଣା ଜଙ୍ଗଲ ରହିଛି । ତା ସହିତ ରହିଛି କୁମ୍ଭୀର ପ୍ରଜନନ କେନ୍ଦ୍ର ଭିତରକନିକା ଜାତୀୟ ଉଦ୍ୟାନ ବଗ ଗହଣ ବିରଳ ଅଲିଭରିଡ୍ଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ଏବଂ ଉତ୍ତରରେ ଧାମରାଠାରୁ ଆରମ୍ଭକରି ଦକ୍ଷୀଣରେ ମହାନଦୀମୁହାଣ ପର୍ଯ୍ୟନ୍ତ ପ୍ରାୟ ୪୮ କିଲୋମିଟର ବ୍ୟାପୀ ସମୁଦ୍ର ଉପକୂଳ ତତସଲଗ୍ନ ଛୋଟ ଛୋଟ ଦୀପ । ଯାହା ନିଃସନ୍ଦେହରେ ଭ୍ରମଣକାରୀମାନଙ୍କୁ ପରିପୂର୍ଣ ସନ୍ତୋଷ ଦେଇପାରିବ।
ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଜିଲ୍ଲାରେ ଏକମାତ୍ର ଉପଖଣ୍ଡ କେନ୍ଦ୍ରାପଡ଼ା। ୯ ଟି ମଣ୍ଡଳ ଓ ୯ ଟି ତହସିଲ। ଗ୍ରାମ ପଞ୍ଚାୟତ ସଂଖ୍ୟା ୨୪୯ ଥାନା ୧୫ ଓ ୨ ଟି ପୌର ପାଳିକା। ରାଜ୍ୟର ପ୍ରଥମ ପୌରପାଳିକା ଭାବେ ୧୮୬୯ ମସିହା ରେ କେନ୍ଦ୍ରାପଡ଼ା ପୌର ପାଳିକା ଗଠନ ହୁଏ ।
ଭୌଗୋଳିକ ଦୃଷ୍ଟି କୋଣରୁ ଏହି ଜିଲ୍ଲା ୨୦ ଡିଗ୍ରୀ ୨୦’ ରୁ ୨୦ ଡିଗ୍ରୀ ୪୭ ଉତ୍ତର ଅକ୍ଷାଂଶ ଏବଂ ୮୬ ଡିଗ୍ରୀ ୧୪’ ରୁ ୮୭ ଡିଗ୍ରୀ ୩’ ଦ୍ରାଘିମା ମଧ୍ୟରେ ଅବସ୍ଥିତ। ୨୬୪୪ ବର୍ଗ କିଲୋମିଟର ପରିମିତ ଏହି ଜିଲ୍ଲା ଜନସଂଖ୍ୟା ବହୁଳ। ୨୦୧୧ ଜନଗଣନା ଅନୁଯାୟୀ ଏହି ଜିଲ୍ଲାରେ ଲୋକସଂଖ୍ୟା ୧୪,୪୦,୩୬୧। ତନ୍ମଧ୍ୟରୁ ପୁରୁଷ ୭,୧୭,୮୧୪ ଓ ମହିଳା ୭,୨୨,୫୪୭। ଜନସଂଖ୍ୟା ର ଘନତ୍ଵ ୫୪୫ ପ୍ରତି ବର୍ଗ କିଲୋମିଟର। ଏହି ଜିଲ୍ଲାରେ ଗ୍ରୀଷ୍ମ ଦିନେ ଗରମ ଏବଂ ଶୀତ ଦିନେ ଶୀତ ସ୍ୱରୂପ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଅନୁଭୂତ ହୋଇଥାଏ | ଗ୍ରୀଷ୍ମଦିନେ ଏହି ଜିଲ୍ଲାର ସର୍ବୋଚ୍ଛ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଶୀତଦିନେ ସବନିମ୍ନ ତାପମାତ୍ରା ବେଳେ ବେଳେ ୧୦ ଡିଗ୍ରୀରୁ କମ ହୋଇଥାଏ । ଗ୍ରୀଷ୍ମ ଦିନେ ସାଧାରଣତ ମାର୍ଚ୍ଚ ମାସରୁ ଜୁନ ମାସ ପର୍ଯନ୍ତ ଏବଂ ଶୀତ ଦିନ ଅକ୍ଟୋବର ମାସରୁ ଫେବ୍ରୁୟାରୀ ମାସ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ । ମୌସୁମୀ ପ୍ରବାହ ସମୟରେ ସାଧାରଣତ ଅଧିକ ବର୍ଷା ହୋଇଥାଏ, ଯାହାକି ଜୁଲାଇ ଏବଂ ଅଗଷ୍ଟ ମାସରେ ବେଶୀ ସଂଗଠିତ ହୋଇଥାଏ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେବା ଜିଲ୍ଳାରେ ବର୍ଷା ହେବାର ପ୍ରମୁଖ କାରଣ ।
କୃଷିଭିତ୍ତିକ ଏହି ଜିଲ୍ଲାର ୭୦ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଧାନ,ଚିନାବାଦାମ ,ବିରି,ମୁଗ ଓ ଝୋଟ ଇତ୍ୟାଦି ଏହି ଜିଲ୍ଲାର ମୁଖ୍ୟ ଫସଲ,କିନ୍ତୁ ପ୍ରାକୃତିକ ବିପର୍ଯୟ ଯଥା ବନ୍ୟା,ବାତ୍ୟା ଓ ମରୁଡି ଏହି ଜିଲ୍ଲା ବାସୀଙ୍କ ମେରୁଦଣ୍ଡ ଭାଙ୍ଗିଦିଏ । ଝୋଟ ମୁଖ୍ୟ ଅର୍ଥକାରୀ ଫସଲ ରୂପେ ଏହି ଜିଲ୍ଲାରେ ଚାଷ ହୋଇଆସୁଅଛି । ନଡିଆ ଏହି ଜିଲ୍ଲାର ମୁଖ୍ୟ ଉଦ୍ୟାନ କୃଷି ଫସଲ,ଇତି ମଧ୍ୟରେ ଜିଲ୍ଲା ର କୃଷି ଓ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ନିଆଯାଇଛି ଓ ସେସବୁର ସଫଳ ରୂପାୟନ କରାଯାଇଛି ।
ଶିକ୍ଷା କ୍ଷେତ୍ରରେ ଏହି ଜିଲ୍ଲା ତୁଳନାତ୍ମକ ଭାବେ ଅଗ୍ରଣୀ । ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟ ,ତୁଲସୀ ମହିଳା ମହାବିଦ୍ୟାଳୟ ,ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ,ମାର୍ଶାଘାଇ ମହାବିଦ୍ୟାଳୟ ଓ ପଟ୍ଟାମୁଣ୍ଡେଇ ମହାବିଦ୍ୟାଳୟ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ବାଲିଆରେ ଅବସ୍ଥିତ । କେନ୍ଦ୍ରାପଡା ସରକାରୀ ପଲି ଟେକନିକ,ଛତା,ଜିଲ୍ଲାର ସରକାରୀ ବୈଷୟିକ ଅନୁଷ୍ଠାନ ମଧ୍ୟରୁ ଗୋଟିଏ ।
କେନ୍ଦ୍ରାପଡା ଜିଲ୍ଲାର ପର୍ବ ପର୍ବାଣି ମଧ୍ୟରେ ରଥଯାତ୍ରା,ଗଜଲକ୍ଷ୍ମୀ ପୂଜା ,ଦୋଳ ଯାତ୍ରା ଏବଂ ଦୁର୍ଗା ପୂଜା ପ୍ରମୁଖ ।
ଜିଲ୍ଲାର ପ୍ରମୁଖ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଅଛନ୍ତି ସ୍ଵାଧୀନତା ସଂଗ୍ରାମୀ ଯଦୁମଣି ମଙ୍ଗରାଜ,ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା, ସହିଦ ବାସୁ ସେଠୀ ଓ ବିଶୁନୀ ମଢିଆଳ । ପ୍ରମୁଖ ସାହିତିକଙ୍କ ମଧ୍ୟରେ ଅଛନ୍ତି କୁନ୍ତଳା କୁମାରୀ ସାବତ,ବିଦ୍ୟୁତ ପ୍ରଭା ଦେବୀ,ଦୀପକ ମିଶ୍ର ଓ ରାମଚନ୍ଦ୍ର ବେହେରା । ପ୍ରମୁଖ ସଙ୍ଗୀତଜ୍ଞଙ୍କ ମଧ୍ୟରେ ପଦ୍ମଶ୍ରୀ ନିମାଇ ଚରଣ ହରିଚନ୍ଦନ,ଭଜନ ସମ୍ରାଟ ଭିକାରି ବଳ ଏବଂ ଅକ୍ଷୟ ମହାନ୍ତି ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି ।