ଇତିହାସ

ଇତିହାସ-କେନ୍ଦ୍ରାପଡା ଜିଲ୍ଲା

ଐତିହ୍ୟ ବିମଣ୍ଡିତ କେନ୍ଦ୍ରାପଡ଼ା ଜିଲ୍ଲା ବା ପ୍ରାଚୀନ ତୁଳସୀକ୍ଷେତ୍ରର ଇତିହାସ ଯେପରି ଘଟଣାବହୁଳ, ସେହିପରି ସୁଦୂରପ୍ରସାରୀ । ଏହି ମାଟିର ପରମ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଙ୍କ ‘କନ୍ଦରାସୁର ଉପାଖ୍ୟାନଙ୍କୁ ନେଇ ଏହାର ନାମ କେନ୍ଦ୍ରାପଡ଼ା ହୋଇଥିବାର ପୌରାଣିକ ତଥ୍ୟକୁ ବାଦ ଦେଲାପରେ ଅନେକ ପଲ୍ଲୀ ବା ଗ୍ରାମର ମଧ୍ୟସ୍ଥଳ ଭାବରେ ଏହାକୁ ପୂର୍ବେ ‘କେନ୍ଦ୍ରପଲ୍ଲୀ’ କୁହାଯାଉଥିବାର ଐତିହାସିକ ପ୍ରମାଣନୁଯାୟୀ ଏହାକୁ କେନ୍ଦ୍ରାପଡ଼ା କୁହାଯାଇଥାଏ ବୋଲି ବିଜ୍ଞ ଓ ଗବେଷକ ମାନେ ମତ ପୋଷଣ କରିଥାଆନ୍ତି ।

ଶ୍ରୀ ବଳଦେବ ମହାପ୍ରଭୁଙ୍କୁ ବାଦ ଦେଲାପରେ କେନ୍ଦ୍ରାପଡ଼ା ଥିଲା ପ୍ରାଚୀନ ନୌବାଣିଜ୍ୟର ଗନ୍ତାଘର । କେନ୍ଦ୍ରାପଡ଼ା ଅନ୍ତର୍ଗତ ତତ୍କାଳୀନ କନିକା ରାଜ୍ୟର ‘ମାଈପୁର’ ବା ସାଂପ୍ରତିକ ‘ମୟୁରୀ ଗାଁକୁ ଐତିହାସିକ ଟଲେମୀ ‘ମୟୀଡ଼େରା’ ବନ୍ଦର ଭାବରେ ଚିତ୍ରଣ କରି ଅଛନ୍ତି । ଏହି କନିକାରେ ପୁରାତନକାଳରେ ‘ହୀରା’ ମିଳୁଥିବାର ପ୍ରମାଣ ମଧ୍ୟ ଉକ୍ତ ବିବରଣୀରୁ ମିଳିଥାଏ । ଏହାଛଡା ପୂର୍ବଦିଗ ସମୁଦ୍ର ଉପକୂଳରେ ଅବସ୍ଥିତ ଜମ୍ବୁ ଦୀପ, କଳଦୀପ (କୋକିଳଦୀପ) ବା ସାତଭାୟା ଥିଲା ସେ ସମୟର ମୁଖ୍ୟ ବାଣିଜ୍ୟକେନ୍ଦ୍ର ବା ବନ୍ଦର । ଏହି ସାତଭାୟାର ବାଣିଜ୍ୟକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ‘ତଅପୋଇ’ କାହାଣୀ । ନୌବାଣିଜ୍ୟର କେନ୍ଦ୍ର ଭାବରେ ପଟ୍ଟାମୁଣ୍ଡାଇ (ପଟ୍ଟାମୁଣ୍ଡାଇ), ବୋଇତରକୁଦ (ବୋଇତାଳପାଟ – ଉତିକଣ), ଚାନ୍ଦୋଳ ଓ ଗରାପୁର ଆଦି ସ୍ଥାନର ନାମ ଇତିହାସ ପୃଷ୍ଠାରେ ଉଲ୍ଲେଖଯୋଗ୍ୟ।ପରବର୍ତୀ ସମୟରେ ଇଂରେଜ ସରକାର ଦ୍ଵାରା ୧୮୨୬ ଖ୍ରୀ॰ଅ ମେ ମାସ ୨୪ ତାରିଖରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ବତୀଘର ଓ ଫଲ୍ସ ପଏଣ୍ଟ ବନ୍ଦର । ୧୮୬୯ ମସିହା ମେ ୨୬ ତାରିଖରେ ଓଡିଶାର ସର୍ବପ୍ରଥମ ନୌଚାଳନାକ୍ଷମ ‘କେନ୍ଦ୍ରାପଡ଼ା କେନାଲ’ ଖୋଲାଯାଇ ଏହି ବନ୍ଦର ସହିତ ସଂଯୋଗ କରଯାଇଥିଲା । ଏହି ବନ୍ଦର ନିକଟସ୍ଥ ଜମ୍ବୁ ଅଞ୍ଚଳରେ ସରକାର ପ୍ରତିଷ୍ଠା କରିଥିଲେ ୧୮୬୧ ମସିହାରେ ଓଡିଶାରେ ପ୍ରଥମ ଡାକଘର ।

ପ୍ରାଚୀନ କେନ୍ଦ୍ରପଡ଼ାରେ ଥିଲା ତିନିଗୋଟି ରାଜ୍ୟ ଯଥା – କୁଜଙ୍ଗ, ଆଳି ଓ କନିକା । କୁଜଙ୍ଗ ରାଜବଂଶରେ ଷଣ୍ଢବଂଶୀୟ,ଆଳି ରାଜବଂଶରେ ଦେବବଂଶୀୟ ଓ କନିକା ରାଜବଂଶରେ ଭଞ୍ଜ ବଂଶୀୟ ନରପତିମାନେ ଶାସନ କରୁଥିଲେ । କନିକା ରାଜବଂଶର ଅପରାଜୟ ସ୍ଵାଧୀନଚେତା ରାଜା ବଳଭଦ୍ରଭଞ୍ଜ ଓ କୁଜଙ୍ଗର ଦୁର୍ଦାନ୍ତ ଷଣ୍ଢ ରାଜା ଚନ୍ଦ୍ରଧ୍ବଜଷଣ୍ଢ ସର୍ବପ୍ରଥମେ ମିଳିତ ଭାବେ ହରିଶପୁର ରାଜା ନୀଳକଣ୍ଠ ମଙ୍ଗରାଜଙ୍କ ସହ ହାତ ମିଳେଇ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଆଳି ରାଜା ନୀଳକଣ୍ଠ ଦେବଙ୍କ ଦ୍ଵାରା ବର୍ତମାନର ପ୍ରସିଦ୍ଧ ଆଳି ଶ୍ରୀ ଶ୍ରୀ ବରାହଜିଉଙ୍କ ମନ୍ଦିର ନିର୍ମିତ ହୋଇଥିବା ସମୟରେ କନିକା ରାଜା ବଳଭଦ୍ରଭଞ୍ଜ ରିଘାଗଡର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ କେରଡାଗଡର ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଏହି କେରଡାଗଡରେ ଜନ୍ମ ନେଇଥିଲେ ଦୁଇ ମହାନ ସନ୍ଥ ନାମାଚାର୍ଯା ବାୟାବାବା ଓ ଶୂନ୍ୟବାଦୀ ପୁରୁଷ କ୍ଷେତ୍ରବାସୀ ବାବା, କୁଜଙ୍ଗ ନରେଶ ଅନନ୍ତ ନରେନ୍ଦ୍ର ସାମନ୍ତ କୁଜଙ୍ଗର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ।
ଉନ୍ନବିଂଶ ଶତାବ୍ଦୀର ଓଡିଶା ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଅଛି । ଓଡିଶାରେ ସଂଗଠିତ ନଅଙ୍କ ଦୁର୍ଭିକ୍ଷ ସମୟରେ କେନ୍ଦ୍ରାପଡ଼ାର ଖ୍ୟାତନାମା ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅକୁଣ୍ଠ ଚିତ୍ତ ସମଗ୍ର ଓଡିଶା ଲୋକଙ୍କୁ ଯେପରି ଭାବରେ ବୀନା ମୂଲ୍ୟରେ କ୍ଷ୍ଯୁଦାର୍ତ ଲୋକମାନଙ୍କୁ ମାସ ମାସ ଧରି ଆହାର ଯୋଗେଇ ଥିଲେ, ତାହା ସବୁଦିନ ପାଇଁ ଓଡିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଉଲ୍ଲେଖ ଅଛି ଯାଜପୁର ପାଇଁ ରାଧାଶ୍ୟାମ ନରେନ୍ଦ୍ର ୭୫ ହଜାର ମହଣ ଧାନ ବୀନା ମୂଲ୍ୟରେ, ଆଦି ନେତା ବିଚିତ୍ରାନନ୍ଦ ଦାସଙ୍କ ଅନୁରୋଧରେ ଦାନ କରିଥିଲେ । ଏଥିପାଇଁ ଦିଲ୍ଲୀ ଦରବାର ଓ କଟକରେ ଉପସ୍ଥିତ ସମସ୍ତ ରାଜାମାନଙ୍କ ସମ୍ମୁଖରେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ସମ୍ମାନିତ କରଯାଇଥିଲା । ଏହି ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସା ଥିଲେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତରାୟ । ସେ ୧୭୮୫ ମସିହାରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ବା ସଦାଶିବ ଜାଣ। (ନରେନ୍ଦ୍ରଙ୍କ ପିତା) ଓ ଭଗ୍ନୀ ବିମଳା ଦେବୀଙ୍କୁ ବିବାହ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜ୍ୟଷ୍ଠା ଭଗ୍ନୀ ସୁଲକ୍ଷଣାଙ୍କୁ କୁଜଙ୍ଗ ଷଣ୍ଢ ରାଜା ଚନ୍ଦ୍ରଧ୍ଵଜ ଷଣ୍ଢ ବିବାହ କରିଥିଲେ । ଏହି ଚନ୍ଦ୍ରଧ୍ଵଜ ଷଣ୍ଢଙ୍କର ନାତି ଜଗନ୍ନାଥ ବୀରବର ଙ୍କ ପୋଷ୍ୟ ପୁତ୍ର ଥିଲେ କୁଜଙ୍ଗ ଗାନ୍ଧୀ ନାରାୟଣ ବୀରବର ସାମନ୍ତ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଜମିଦାରୀ ମଧ୍ୟରେ ରହିଥିଲେ ଲଳିତଗିରି, ଉଦୟଗିରି ଓ ରତ୍ନଗିରି । ଏହି ଅଞ୍ଚଳ ଗୁଡିକ ତତ୍କାଳୀନ ‘ଅଳତୀ ପ୍ରଗଣା’ ଭୁକ୍ତ ହୋଇଥିଲା । ରାଧାଶ୍ୟାମ ନରେନ୍ଦ୍ରଙ୍କ ତାଙ୍କ ଜମିଦାରୀ ଅଞ୍ଚଳ ମଧ୍ୟରୁ ଓଳାସୁଣୀ ପାହାଡକୁ ସାଧୁ ଅରଖିତଙ୍କୁ ଦାନକରି ତାଙ୍କ ନାମରେ ଉଇଲ କରିନେଇଥିଲେ । ନରେନ୍ଦ୍ର କନିକା ରାଜା ବିନାୟକଭଞ୍ଜଙ୍କ ମୁରବୀ ଭାବରେ ଅଧିଷ୍ଠିତ ହୋଇ କନିକା ରାଜା ବଂଶକୁ ସୁରକ୍ଷା ପ୍ରଦାନ କରିଥିଲେ ।

ଉନ୍ନବିଂଶ ଶତାବ୍ଦୀରେ, ଯେଉଁ ସମୟରେ ଓଡିଆ ଭାଷା ବଙ୍ଗବାସୀଙ୍କ ଦ୍ଵାରାକବଳିତ,ସେହି ସମୟରେ ଓଡିଆ ଭାଷାକୁ ପାଥେୟ କରି ବଡକୋଠା ମଧ୍ୟସ୍ଥ ରଙ୍ଗ ମହଲରେ ଓଡିଆ ସଂଗୀତର ଆସର ତୋଳୁଥିଲେ – ସଙ୍ଗୀତଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ । ଏଠାରେ ସମ୍ମିଳିତ ହେଉଥିଲେ ଭାରତର ଶ୍ରେଷ୍ଠ ସଙ୍ଗୀତଜ୍ଞ, ବଡ ଗୋଲମ ଅଲ୍ଲୀ, ରୋସ୍ନାରା ବେଗମ, ହାଫିଜ ଅଲ୍ଲୀ ଖାଁ, ରାୟଚାନ୍ଦ ବରାଳ ଇତ୍ୟାଦି । ଏହି ଆସର ସହିତ ପରବର୍ତୀ ସମୟରେ ସମ୍ପୃକ୍ତ ହୋଇଥିଲେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇ ହରିଚନ୍ଦନ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ । ୧୮୯୯ ମସିହାରେ ସର୍ବ ପ୍ରଥମେ ସଙ୍ଗୀତ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ରେକର୍ଡିଂ କରିଥିଲେ ଓଡିଆ ସଙ୍ଗୀତ ‘ସଜନିରେ …. ସଜନି ‘ବାଣୀକଣ୍ଠ ଥିଲେ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ପୁତୁରା ଓ ବୃନ୍ଦାବନ ହରିଚନ୍ଦନଙ୍କ ପୁତ୍ର ଓ ପୁରୀ ବାଳକଟୀ ଗ୍ରାମର ବାଳକୃଷ୍ଣ ଦାସ ଥିଲେ ଗୋକୁଳ ଶ୍ରୀଚନ୍ଦଙ୍କର ଶିଷ୍ୟ ।ବିଂଶ ଶତାବ୍ଦୀର ଇତିହାସ ପୃଷ୍ଠାରେ କେନ୍ଦ୍ରାପଡ଼ା ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଅଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ କେନ୍ଦ୍ରପାଡ଼ାର ବରେଣ୍ୟ ନେତା ଯଦୁମଣି ମଙ୍ଗରାଜ ,ନାରାୟଣ ବୀରବର ସାମନ୍ତ,ପୀତାମ୍ବର ଜଗଦେବ ,ଆଶାଦୁଲ୍ଲା,ଅମର ଚାଟାର୍ଜୀ,ଆଳିର ଗାନ୍ଧୀ ସହଦେବ ପ୍ରଧାନ ଆଦି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନଙ୍କ ଆହ୍ଵାନରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାକୁ ପଦଯାତ୍ରା କରିଥିଲେ ।ହରିଜନ ପଦଯାତ୍ରା ବେଳେ ବହୁ ସଂଖ୍ୟକ ନାରୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ ।

ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡ଼ା ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଅନେକ ଆଗରେ ରହିଅଛି । ୧୮୪୪ ମସିହାରେ ସର୍ବ ପ୍ରଥମେ ଓଡିଶାର (କଟକ ସହର ନୁହେଁ) ହରିପୂର,ରେମୁଣା,କେନ୍ଦ୍ରାପଡ଼ା ରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।୧୮୬୩ ମସିହାରେ ଏହି ବିଦ୍ୟାଳୟ ମଧ୍ୟ ଇଂରାଜୀ ଓ ୧୮୮୩ ମସିହାରେ ତତ୍କାଳୀନ ଏସଡିଓ କୀର୍ତିଗୋବିନ୍ଦ ଗୁପ୍ତଙ୍କ ଦ୍ଵାରା ଉଚ ବିଦ୍ୟାଳୟରେ ପରିଚିତ ହୋଇଥିଲା ।ବିଶିଷ୍ଟ ଶିକ୍ଷାବିତ ଜାମାଲଉଦ୍ଦୀନ ଓ ପଲ୍ଲୀକବି ନନ୍ଦକିଶୋର ବଳ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଥିଲେ।ଏହାପରେ ୧୮୯୩ ମସିହାରେ କେନ୍ଦ୍ରାପଡା ସହରରେ ନାରୀଶିକ୍ଷାର ପ୍ରସାର ପାଇଁ ଫ୍ରେଜର ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।

୧୮୯୩ ମସିହାରେ ,ସର୍ବ ପ୍ରଥମେ କେନ୍ଦ୍ରାପଡ଼ାରେ ଏକ ସର୍ବସାଧାରଣ ପାଠାଗାର ସ୍ଥାପିତ ହୋଇଥିଲା,ଏହାର ନାମ ତତ୍କାଳୀନ ଥିଲା ‘ନରେନ୍ଦ୍ର ପାଠାଗାର’ ମାତ୍ର ମହାରାଣୀ ଭିକ୍ଟୋରିଆଙ୍କ ଜନ୍ମ ଜୟନ୍ତୀରେଏହାର ନାମ ‘ଡାଏମଣ୍ଡଯୁବଲୀ ଲାଇବ୍ରେରୀ’ ହୋଇଥିଲା । ସ୍ୱାୟତ ଶାସନ ପ୍ରସଙ୍ଗରେ ସର୍ବପ୍ରଥମେ କେନ୍ଦ୍ରାପଡ଼ାରେ ତା ୧୦.୦୩.୧୮୬୯ ମସିହାରେ ମୁନିସିପାଲିଟି ସ୍ଥାପିତ ହୋଇଥିଲା । ଏହି ପୌରସଂସ୍ଥା ଓଡିଶାର ସର୍ବପ୍ରଚୀନ ଓ ସର୍ବପ୍ରଥମ ପୌରସଂସ୍ଥା ଭାବରେ ନମିତା ହୋଇଅଛି । କଟକ ଗେଜେଟିୟରରେ ଏ ସମ୍ପର୍କରେ ଉଲ୍ଲେଖ ରହିଅଛି।